Tuesday, 21 July 2026
ଜ଼ିଲ୍ଲା ମୟୂରଭଞ୍ଜ ମୁଖ୍ୟ ଖବର ରାଜ୍ୟ ଖବର

ଉଦ୍ଧାର କାମ ଚାଲିଥିବା ବେଳେ… ମାଡ଼ିଆସିଲା ଆଉ ଏକ ଦୁର୍ଘଟଣା!

ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ପାଲବଣିରେ ଘଟିଛି ଏକ ଲୋମଟାଙ୍କୁରା ସଡ଼କ ଦୁର୍ଘଟଣା। ପୂର୍ବରୁ ଘଟିଥିବା ଏକ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଏକ ଦ୍ରୁତଗାମୀ ଡଷ୍ଟ ବୋଝେଇ ଡମ୍ପର ଲୋକଙ୍କ ଉପରେ ମାଡ଼ିଯିବାରୁ ୩ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ପ୍ରଥମେ ପାଲବଣି ନିକଟରେ ଏକ କାଠ ବୋଝେଇ ଟାଟା ଏସି ଗାଡ଼ି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ଗଣମାଧ୍ୟମ ପ୍ରତିନିଧିମାନେ ସେଠାରେ ପହଞ୍ଚି ଗାଡ଼ିଟିକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଚଳାଇଥିଲେ।ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ହଠାତ ଏକ ଦ୍ରୁତଗାମୀ ଡଷ୍ଟ ବୋଝେଇ ଡମ୍ପର ଓଲଟି ପଡ଼ିଥିବା କାଠ ବୋଝେଇ ଟାଟା ଏସି ଉପରେ ଚଢି ଯାଇ ଉପସ୍ଥିତ ଥିବା ଲୋକଙ୍କ ଉପରକୁ ମଧ୍ୟ ମାଡ଼ି ଆସିଥିଲା। ବିପଦକୁ ଦେଖି ସେଠାରେ ରୁଣ୍ଡ ହୋଇଥିବା ଲୋକେ ପ୍ରାଣ ବିକଳରେ ଏପଟ ସେପଟ ଛିନଛତର ହୋଇ ଦୌଡ଼ିବାକୁ ଲାଗିଥିଲେ। ହେଲେ ଡମ୍ପରଟି ଏତେ ଦ୍ରୁତ ଗତିରେ ଥିଲା ଯେ କିଛି ଲୋକ ଏହାର ଚକା ତଳେ ଚାପି ହୋଇଯାଇଥିଲେ।

ଏହି ଦୁର୍ଘଟଣାରେ ସମ୍ବାଦ ସଂଗ୍ରହ ପାଇଁ ଯାଇଥିବା ନ୍ୟୁଜ୍–୭, କଳିଙ୍ଗ ଟିଭି ଓ ଅର୍ଗସ ନ୍ୟୁଜ୍ର ୩ ଜଣ କ୍ୟାମେରାମ୍ୟାନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। କର୍ତ୍ତବ୍ୟରତ ଅବସ୍ଥାରେ ସେମାନେ ଏହି ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି।

ଦୁର୍ଘଟଣା ପରେ ଜଣେ ବ୍ୟକ୍ତି ଡମ୍ପର ତଳେ ଚାପି ହୋଇ ରହିଯାଇଥିଲେ। ସ୍ଥାନୀୟ ଲୋକ ଓ ପ୍ରଶାସନର ମିଳିତ ଉଦ୍ୟମରେ ତାଙ୍କୁ ବହୁ କଷ୍ଟରେ ଉଦ୍ଧାର କରାଯାଇଥିଲା। ଆହତମାନଙ୍କ ମଧ୍ୟରୁ ୫ ଜଣଙ୍କୁ ତୁରନ୍ତ ବାରିପଦା ରଙ୍ଗାମାଟିଆ ସ୍ଥିତ ପି.ଆର୍.ଏମ୍. ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେମାନଙ୍କର ଚିକିତ୍ସା ଚାଲିଥିବା ବେଳେ ୫ ଜଣଙ୍କ ଅବସ୍ଥା ଏବେ ମଧ୍ୟ ଉଦ୍ବେଗଜନକ ରହିଛି।
ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପୋଲିସ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL