Sunday, 6 September 2026
ଦେଶ ବିଦେଶ

କାଦୁଅ ଭିତରେ ଜୀବନର ସନ୍ଧାନ, ଅସହାୟ ଆଖିରେ ଅପେକ୍ଷା

କିଏ ହାତରେ ଗୋଟିଏ ଫଟୋ ଧରି ଏପଟ ସେପଟ ଦୌଡ଼ୁଛି । କିଏ ନିଖୋଜ ଲୋକଙ୍କ ଲମ୍ବା ତାଲିକାକୁ ଥରେ ନୁହେଁ, ବାରମ୍ବାର ଅଣ୍ଡାଳୁଛି । କିଏ ପୋଲିସ କ୍ୟାମ୍ପରେ ପଚରାଉଚରା କରୁଛି, କିଏ ରିଲିଫ ସେଣ୍ଟରରେ ନିଜ ଲୋକଙ୍କ ନାଁ ଖୋଜୁଛି। ଆଉ କିଏ ଧ୍ୱଂସ ହୋଇଯାଇଥିବା ନିଜ ଘରର ଠିକଣା ଖୋଜୁଛି । କାରଣ ପ୍ରଳୟ ସବୁକିଛି ବଦଳାଇ ଦେଇଛି। ଗତକାଲି ଯେଉଁ ଗାଁରେ ଲୋକଙ୍କ କୋଳାହଳ ଥିଲା, ଆଜି ସେଠାରେ କେବଳ କାଦୁଅର ସମୁଦ୍ର। ଯେଉଁ ରାସ୍ତାରେ ଗାଡ଼ି ଚାଲୁଥିଲା, ଆଜି ସେଠାରେ ମାଟିର ପାହାଡ଼। ଯେଉଁ ଘରେ ପରିବାର ହସୁଥିଲେ, ସେଇ ଘରର ଆଜି ନାହିଁ ଚିହ୍ନବର୍ଣ୍ଣ।
ଏ ହେଉଛି ପ୍ରକୃତିର ତାଣ୍ଡବ ପରେ ନେପାଳର ଛାତିଥରା ଚିତ୍ର। ଚାରିଆଡ଼େ ଧ୍ୱଂସର ସ୍ତୂପ।
ଯୁଆଡ଼େ ଆଖି ଯାଉଛି, ସିଆଡ଼େ କେବଳ କଳା କାଦୁଅ। ଭାଙ୍ଗିଯାଇଥିବା ଘର। ମାଟିରେ ପୋତି ହୋଇଯାଇଥିବା ରାସ୍ତା।
ଭାସିଯାଇଥିବା ପୋଲ। ଆଉ ସବୁଠୁ ବଡ଼ କଥା ନିଜ ଲୋକଙ୍କୁ ହରାଇ ଅସହାୟ ହୋଇପଡ଼ିଥିବା ହଜାର ହଜାର ପରିବାର।ଯେଉଁମାନେ କାଲି ପର୍ଯ୍ୟନ୍ତ ନିଜ ପରିବାର ସହ ଥିଲେ, ଆଜି ସେମାନେ ପରସ୍ପରକୁ ଖୋଜୁଛନ୍ତି। କାହାର ବାପା ନିଖୋଜ, କାହାର ପୁଅର ପତ୍ତା ନାହିଁ। କେହି ନିଜ ମାଆକୁ ଖୋଜୁଛି, ତ ଆଉ କେହି ନିଜ ସ୍ୱାମୀଙ୍କ ଖବର ପାଇବା ପାଇଁ ଦୁଆର ଦୁଆର ବୁଲୁଛି।

ପ୍ରତ୍ୟେକ ମୁହଁରେ ଗୋଟିଏ ପ୍ରଶ୍ନ। ମୋ ଲୋକ କେଉଁଠି?
ଏହି ଗୋଟିଏ ପ୍ରଶ୍ନର ଉତ୍ତର ପାଇଁ ଏବେ ଚାଲିଛି ଦିନରାତି ସନ୍ଧାନ। କେହି ମୋବାଇଲରେ ପୁରୁଣା ଫଟୋ ଦେଖାଇ ପଚାରୁଛନ୍ତି ତ କେହି ରେଜିଷ୍ଟରରେ ନାଁ ଲେଖି ଅପେକ୍ଷା କରିଛନ୍ତି। ଆଉ କେହି ଭଙ୍ଗା ଘର ଆଗରେ ଠିଆ ହୋଇ ଚିନ୍ତା କରୁଛନ୍ତି ଏଇଠି ସତରେ ମୋ ଘର ଥିଲା ? କେତେ ଭୟଙ୍କର ସେ ମୁହୂର୍ତ୍ତ! ନିଜ ଘର ସାମ୍ନାରେ ଠିଆ ହୋଇ ମଧ୍ୟ ଘରକୁ ଚିହ୍ନି ପାରୁନାହାନ୍ତି ଲୋକେ। କାରଣ ପ୍ରଳୟ ଘରକୁ ନେଇନି ଠିକଣାକୁ ବି ମିଟାଇ ଦେଇଛି। ପ୍ରକୃତିର ଏହି ପ୍ରଳୟ ନେପାଳର ଅନେକ ଅଞ୍ଚଳର ଚିତ୍ରକୁ ଏମିତି ବଦଳାଇ ଦେଇଛି ଯେ, ଲୋକେ ନିଜ ଗାଁକୁ ବି ଚିହ୍ନିପାରୁନାହାନ୍ତି। କିନ୍ତୁ ଏହି ଧ୍ୱଂସର ଭିତରେ ମଧ୍ୟ ଥମିନି ଜୀବନର ସନ୍ଧାନ।
କଳା ମାଟିର ଗଭୀର ସ୍ତର ଭିତରେ ଏବେ ବି ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାରକାରୀ ଟିମ୍ ପାଇଁ ପ୍ରତିଟି ପାଦ ଆଗକୁ ବଢ଼ାଇବା ମାନେ ଗୋଟିଏ ବଡ଼ ଚ୍ୟାଲେଞ୍ଜ।କାରଣ ମାଟି ତଳେ କ’ଣ ଅଛି କେହି ଜାଣିନାହାନ୍ତି।
ଗୋଟିଏ ପାଦ ପକାଇଲେ ଧସିଯାଉଛି ମାଟି। ଗୋଟିଏ ପଦକ୍ଷେପ ଭୁଲ ହେଲେ ବିପଦ।

ତଥାପି ଚାଲିଛି ସନ୍ଧାନ। କାରଣ ଉଦ୍ଧାରକାରୀଙ୍କ ପାଇଁ ଏହା କେବଳ ଏକ ଅପରେସନ୍ ନୁହେଁ କାହାରି ପରିବାରର ଶେଷ ଆଶା। କାରଣ ପ୍ରତିଟି ମାଟି ତଳେ ହୁଏତ ଗୋଟିଏ ଜୀବନ ଅପେକ୍ଷା କରିଥାଇପାରେ। ଆଉ ଏପଟେ ଯେଉଁମାନେ ପ୍ରଳୟର ଭୟଙ୍କର ପାଣିରୁ ଜୀବନ ନେଇ ବାହାରି ଆସିଛନ୍ତି, ସେମାନଙ୍କ ମନରେ ମଧ୍ୟ ଶାନ୍ତି ନାହିଁ। କାରଣ ସେମାନେ ଏକା ଫେରିଛନ୍ତି। ପଛରେ ରହିଯାଇଛି ପରିବାର। କେହି କହୁଛନ୍ତି ପାଣିର ସ୍ରୋତ ଏତେ ଜୋର ଥିଲା ଯେ ହାତ ଧରି ରହିବା ସମ୍ଭବ ହେଲାନି। କ୍ଷଣକ ଭିତରେ ଆପଣାର ହାତ ଛାଡ଼ିଗଲା। ଆଉ ତା’ପରେ କେଉଁ ଦିଗକୁ କିଏ ଗଲା, ତାହାର ଠିକଣା ମିଳିଲାନି। ସେଥିପାଇଁ ଆଜି ଜୀବନ ବଞ୍ଚିଯାଇଥିବା ଲୋକଟିଏ ମଧ୍ୟ ଖୁସି ହୋଇପାରୁନାହିଁ। କାରଣ ତା’ ମନରେ କେବଳ ଗୋଟିଏ କଥା ମୋ ପରିବାର କେଉଁଠି? ଏହି ପ୍ରଶ୍ନ ସହିତ ଏବେ ନେପାଳର ରିଲିଫ କ୍ୟାମ୍ପରେ ଚାଲିଛି ଅପେକ୍ଷାର ଲମ୍ବା ରାତି।
କେହି ଫୋନ୍ ଚାର୍ଜ ହେଲେ ପ୍ରଥମେ ଘରକୁ କଲ୍ କରୁଛନ୍ତି। କେହି ନେଟୱର୍କ ଆସିବାକୁ ଅପେକ୍ଷା କରୁଛନ୍ତି। ହୁଏତ ଗୋଟିଏ ଫୋନ୍ ଆସିବ ହୁଏତ ସେପଟୁ କେହି କହିବ ମୁଁ ବଞ୍ଚିଛି । ମୁଁ ସୁରକ୍ଷିତ ଅଛି। ଏହି ଗୋଟିଏ ଖବର ପାଇଁ ଆଜି ହଜାର ହଜାର ପରିବାର ଅପେକ୍ଷା କରିଛନ୍ତି। ତେବେ ନେପାଳର ଏହି ମହାବିପର୍ଯ୍ୟୟରେ ଭାରତୀୟଙ୍କୁ ନେଇ ମଧ୍ୟ ଚିନ୍ତା ବଢ଼ିଛି। ଅନେକ ଭାରତୀୟ ସେଠାରେ ଫସି ରହିଥିବା ଓ କିଛି ଲୋକଙ୍କ ସନ୍ଧାନ ନମିଳିବା ନେଇ ପରିବାର ଲୋକଙ୍କ ଚିନ୍ତା ବଢ଼ିଚାଲିଛି। ସୂଚନା ଅନୁସାରେ, ପ୍ରାୟ ୩୦୦ ଭାରତୀୟଙ୍କ ପତ୍ତାକୁ ନେଇ ଏବେ ବି ଚିନ୍ତା ରହିଛି ଦେଶ।

କିଏ କେଉଁଠି ଅଛନ୍ତି? କିଏ ସୁରକ୍ଷିତ ସ୍ଥାନକୁ ପହଞ୍ଚିଛନ୍ତି? ଆଉ କିଏ ଏବେ ବି ବିପଦଗ୍ରସ୍ତ ଅଞ୍ଚଳରେ ଫସି ରହିଛନ୍ତି? ସେନେଇ ଚାଲିଛି ସନ୍ଧାନ। ଏପଟେ ଭାରତରେ ଥିବା ପରିବାର ଲୋକେ ମଧ୍ୟ ଟେନସନରେ। ଫୋନ୍ ବାଜିଲେ ହୃଦୟ ଧକ୍ ଧକ୍ ହେଉଛି।ଅଜଣା ନମ୍ବରରୁ କଲ୍ ଆସିଲେ ଆଶା ବଢ଼ୁଛି। କିନ୍ତୁ ପୁଣି ଫୋନ୍ କଟିଗଲେ ମନ ଭିତରେ ଆହୁରି ବଢ଼ୁଛି ଆଶଙ୍କା। ପ୍ରକୃତିର ଏହି ତାଣ୍ଡବ ଗୋଟିଏ ଦିନରେ ଅନେକ ପରିବାରର ଜୀବନ ବଦଳାଇ ଦେଇଛି। ଯାହାର ଘର ଥିଲା, ତା’ର ଆଜି ଠିକଣା ନାହିଁ। ଯାହାର ପରିବାର ଥିଲା, ସେ ଆଜି ପରିବାରର ସନ୍ଧାନରେ। ଯିଏ ଗତକାଲି ପର୍ଯ୍ୟନ୍ତ ନିଜ ଭବିଷ୍ୟତର ସ୍ୱପ୍ନ ଦେଖୁଥିଲା, ସେ ଆଜି କେବଳ ଗୋଟିଏ ରାତି ସୁରକ୍ଷିତରେ କାଟିବା ପାଇଁ ସଂଘର୍ଷ କରୁଛି। ଏ ମହାପ୍ରଳୟ କେବଳ ମାଟି ଓ ପଥରର କ୍ଷତି କରିନି ଏହା ଭାଙ୍ଗିଦେଇଛି ହଜାର ହଜାର ସ୍ୱପ୍ନ।ଛଡ଼ାଇ ନେଇଛି ଆପଣାର ହାତ। ଲିଭାଇ ଦେଇଛି ଅନେକ ଘରର ଆଲୋକ।କିନ୍ତୁ ଏବେ ବି ମରିନି ଆଶା। ସେଥିପାଇଁ ଜଣେ ମାଆ ଫଟୋ ଧରି ନିଜ ପୁଅକୁ ଖୋଜୁଛି, ଜଣେ ବାପା ତାଲିକାରେ ନିଜ ଝିଅର ନାଁ ଖୋଜୁଛନ୍ତି, ଜଣେ ସ୍ତ୍ରୀ ପ୍ରତିଟି ରିଲିଫ କ୍ୟାମ୍ପ ବୁଲି ସ୍ୱାମୀଙ୍କ ସନ୍ଧାନ କରୁଛନ୍ତି। ଆଉ ଜଣେ ଛୋଟ ପିଲା ଅସହାୟ ଆଖିରେ ପଚାରୁଛି ମୋ ବାପା କେବେ ଫେରିବେ?” ହୁଏତ ଏହି ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ , କିନ୍ତୁ ସନ୍ଧାନ ଜାରି ରହିଛି।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL