ଗୁରୁ ହେଉଛନ୍ତି ଜୀବନର ପ୍ରଥମ ପଥପ୍ରଦର୍ଶକ। ଅଜ୍ଞାନତାର ଅନ୍ଧକାରରୁ ଜ୍ଞାନର ଆଲୋକ ଆଡ଼କୁ ନେଇଯାଆନ୍ତି ଗୁରୁ। ଗୁରୁ-ଶିଷ୍ୟ ପରମ୍ପରାର ଏହି ମହାନ ସମ୍ପର୍କକୁ ସ୍ମରଣ କରି କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ପାଳିତ ହୋଇଛି ଗୁରୁଦିବସ। ଗୋପସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲରେ ମଧ୍ୟ ଏହି ଦିବସକୁ ଧୁମଧାମରେ ପାଳନ କରାଯାଇଛି।
ଗୁରୁଙ୍କ ପ୍ରତି ସମ୍ମାନ… ଗୁରୁଙ୍କ ପ୍ରତି କୃତଜ୍ଞତା… ଆଉ ଗୁରୁ-ଶିଷ୍ୟର ପବିତ୍ର ସମ୍ପର୍କକୁ ସ୍ମରଣ କରି ଉତ୍ସବମୁଖର ହୋଇଉଠିଥିଲା ଗୋପ ସେଣ୍ଟ ଜାଭିୟର ହାଇସ୍କୁଲ ପରିସର।
ବିଦ୍ୟାଳୟରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର ଗୁରୁଦିବସ କାର୍ଯ୍ୟକ୍ରମ। ଏଥିରେ ଛାତ୍ରଛାତ୍ରୀମାନେ ନିଜ ଗୁରୁମାନଙ୍କୁ ସମ୍ମାନ ଜଣାଇବା ସହ କୃତଜ୍ଞତା ପ୍ରକାଶ କରିଥିଲେ।
ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସମ୍ମାନାର୍ଥେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ପ୍ରତିଭାରେ ବିଦ୍ୟାଳୟ ପରିବେଶ ହୋଇଉଠିଥିଲା ଆନନ୍ଦମୟ।
ଏହି ଅବସରରେ ଶିକ୍ଷାଦାନ କ୍ଷେତ୍ରରେ ଉତ୍କର୍ଷ, ନିଷ୍ଠା ଓ ଦାୟିତ୍ୱବୋଧର ସହ କାର୍ଯ୍ୟ କରୁଥିବା ଆଦର୍ଶ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ଅତିଥିମାନେ କହିଥିଲେ, ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ନାହିଁ, ବରଂ ଛାତ୍ରଛାତ୍ରୀଙ୍କୁ ଜୀବନର ଠିକ୍ ରାସ୍ତା ଦେଖାଇବା ସହ ଜଣେ ଭଲ ମଣିଷ ଭାବେ ଗଢ଼ି ତୋଳିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାନ୍ତି ।
ଗୁରୁଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ ଓ କୃତଜ୍ଞତାର ଭାବନାରେ ଭରିଯାଇଥିଲା ପୂରା ପରିବେଶ। ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ଉପସ୍ଥିତିରେ ଗୋପ ସେଣ୍ଟ ଜାଭିୟର ହାଇସ୍କୁଲର ଗୁରୁଦିବସ ପାଳନ ଏକ ସ୍ମରଣୀୟ ଉତ୍ସବରେ ପରିଣତ ହୋଇଥିଲା।

